ମୂଳ ରଚନା : ସୁକେଶ ସାହନୀ (ହିନ୍ଦୀ)-मूल लेखकः सुकेश साहनी

ଓଡ଼ିଆ ଅନୁବାଦ : ମୌସୁମୀ ଦାସ୍-ओड़िया -अनुवादः मौसूमी दास
“ତୋତେ କହିଲି ପରା, ଗାଡ଼ି ଛ‘ ଘଣ୍ଟା ଲେଟ୍ ଅଛି !” ଭୀଷଣ ବିରକ୍ତ ହେଇ କହିଲେ ଷ୍ଟେସନମାଷ୍ଟର, “ଛ‘ଘଣ୍ଟା ପୂର୍ବରୁ ଆସିବନି।କାଲିଠୁ ମୋ‘ ମୁଣ୍ଡ ଖାଇସାରିଲାଣି ଆସି।”
“ବାବୁ, ରାଗ ନାହିଁ,” ଗାଉଁଲି ସ୍ତ୍ରୀଲୋକଟି ଦୁଇ ହାତଯୋଡ଼ି କାକୁସ୍ଥ ସ୍ୱରରେ କହିଲା, “ଆଜ୍ଞା, ମୁଁ ବହୁତ ଚିନ୍ତାରେ ଅଛି, ମୋ‘ ପୁଅ ଘରୁ ବାହାରି ଯିବାର ଆଜିକୁ ତିନି ଦିନ ହୋଇଗଲାଣି…। କାଲି ସୁଦ୍ଧା ଫେରି ଆସିବ କହିଥିଲା। ପ୍ରଥମ ଥର ପାଇଁ ଘରୁ ଏକୁଟିଆ ବାହାରକୁ ଯାଇଛି … “
“ହେଲେ , ତୁ ପିଲାଟିକୁ ଏକୁଟିଆ ଛାଡୁଥିଲୁ କାହିଁକି?” ସ୍ତ୍ରୀଲୋକଟିର କାକୁତିମିନତି ଦେଖି ଷ୍ଟେସନମାଷ୍ଟରଙ୍କ ମନ ତରଳିଗଲା।
” କଣ କରିବି ବାବୁ, ମୋ‘ ମୁଣ୍ଡ ଖରାପ ହେଇ ଯାଇଥିଲା” ସେ କାନ୍ଦକାନ୍ଦ ହୋଇ କହିଲା, “ତା‘ର ବାପ ନାହିଁ। ନିଅଣ୍ଟିଆ ଘର । ମୁଁ ଚଟେଇ ବୁଣେ। ସେୟାକୁ ବିକି ଯେତିକି ପଇସା ମିଳେ, ସେଇଥିରେ ଘର ଚଳାଏ। ଏବେ କିଛି ଦିନ ହେଲାଣି, ସିଏ ବି କିଛି ଗୋଟେ କାମ କରିବ ବୋଲି ଜିଦ୍ ଧରିଥିଲା।ଆଉ ତିନିଦିନ ତଳେ ଗୋଟେ ବାଉଁଶ ଟୋକେଇରେ କିଛି ଭଜା ବୁଟଚଣା ନେଇ ଟ୍ରେନରେ ବିକିବ ବୋଲି ଘରୁ ବାହାରି ଗଲା…”
“ହଉ, ହଉ। ତୁ ବ୍ୟସ୍ତ ହ‘ନି… ତୋ‘ ପୁଅ ଆସିଯିବ ଯେ” ଷ୍ଟେସନମାଷ୍ଟର ଆଶ୍ୱାସନା ଦେଇ କହିଲେ।
“ବାବୁ, ସେ ଭାରି ସରଳିଆ ପିଲାଟା। ରାତିରେ ଏକୁଟିଆ ଶୋଇ ପାରେନି… ସବୁବେଳେ ମୋ‘ ପାଖରେ ହିଁ ଶୁଏ। ହେ ଭଗବାନ! ଏ ଦି ରାତି ସେ କେମିତି କାଟିଥିବ କେଜାଣି? ଏତେ ଥଣ୍ଡାରେ ତା‘ ପାଖରେ ଘୋଡ଼ାଇହେବାକୁ କିଛି ବି ଗରମ ଲୁଗା ନାହିଁ…” ସ୍ତ୍ରୀଲୋକଟି କାନ୍ଦୁରା ସ୍ୱରରେ କହିଲା।
ଷ୍ଟେସନ ମାଷ୍ଟର ତା‘ କଥା ଶୁଣିଲେ। ଆଉ ପୁଣି ନିଜ କାମରେ ଲାଗିଗଲେ। ବ୍ୟାକୁଳ ହୋଇ ସ୍ତ୍ରୀଲୋକଟି ପ୍ଲାଟଫର୍ମରେ ଏପାଖସେପାଖ ବୁଲିବାକୁ ଲାଗିଲା। ନିପଟ ଗାଁର ଏଇ ଛୋଟିଆ ଷ୍ଟେସନରେ ଚାରିଆଡ଼େ ନିସ୍ତବ୍ଧତା ଓ ଅନ୍ଧାର ଛାଇ ରହିଥିଲା। ସେ ମନେମନେ ସ୍ଥିର କରିନେଉଥିଲା ଯେ ଆଉ କେବେ ବି ନିଜ ପୁଅକୁ ନିଜଠାରୁ ଦୂରେଇ ଯିବାକୁ ଦେବନାହିଁ।
ଶେଷରେ ପାସେଞ୍ଜର ଟ୍ରେନ୍ ସିଟି ବଜେଇ ବଜେଇ ସେଇ ନିଛାଟିଆ ଷ୍ଟେସନରେ ଆସି ପହଞ୍ଚିଲା। ସ୍ତ୍ରୀଲୋକଟି ଅତ୍ୟନ୍ତ ଉତ୍କଣ୍ଠାରେ ରୁଦ୍ଧଶ୍ଵାସ ହେଇ ଏ ବଗି ସେ ବଗି ଭିତରକୁ ଖୋଜିଲା ଆଖିରେ ଉଙ୍କି ମାରି ଦେଖିବାକୁ ଲାଗିଲା।
ସେତିକିବେଳେ ଗୋଟିଏ ଆକୃତି ଦୌଡ଼ିଦୌଡ଼ି ତା‘ ପାଖକୁ ଆସିଲା। ସେ ପାଖରୁ ନିରିଖେଇକି ଦେଖିଲା। ସିଧା ଲମ୍ବା ବେକ… ଆତ୍ମବିଶ୍ୱାସରେ ଭରା ବଡ଼ବଡ଼ ଆଖି… ଦୃଢ଼ ମୁହଁ… ଏବଂ ଓଠରେ ହାଲୁକା ହସ…
“ବୋଉ !ତୁ…! ଏତେ ରାତିରେ ତୋ‘ର ଏଠାକୁ ଆସିବା ଉଚିତ ନଥିଲା।” ନିଜ ପୁଅର ଗମ୍ଭୀର ତଥା ଚିନ୍ତାଭରା ସ୍ୱର ତା‘ କାନରେ ପଡ଼ିଲା।
ସେ ଆଶ୍ଚର୍ଯ୍ୟ ହେଇଗଲା। ନିଜ ଆଖିକୁ ତା‘ର ବିଶ୍ୱାସ ହିଁ ହେଉନଥିଲା, ଏହି ତିନି ଦିନ ଭିତରେ ତା‘ ପୁଅ ଏତେ ବଡ଼ ହୋଇଗଲା କେମିତି!!
———